ଠାକୁରମୁଣ୍ଡାରେ ବେଆଇନ ଚଉକାଠ ବୋଝେଇ ପିକଅପ୍ ଜବତ
କରଞ୍ଜିଆ – କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ଠାରେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକଙ୍କ ନିର୍ଦ୍ଦେଶକ୍ରମେ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ବିଶେଷ ସୂତ୍ରରୁ ଖବର ପାଇ ରୁଗୁଡିଵେଡା ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଏକ ଶାଳ ଚଉକାଠ ବୋଝେଇ ପିକଅପ୍ ଜବତ କରିଛନ୍ତି। ଜବତ ହୋଇଥିବା ଗାଡ଼ିଟିକୁ ଠାକୁରମୁଣ୍ଡା ବନବିଭାଗ କାର୍ଯ୍ୟାଳୟକୁ ଆଣିଛନ୍ତି।

ସୂଚନା ଅନୁଯାୟୀ, ଆଜି ସକାଳ ୯:୩୦ ମିନିଟ୍ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ରୁଗୁଡିଵେଡା ଗ୍ରାମର ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଜଗି ରହିଥିଲେ। ଗାଡ଼ିଟିକୁ ଅଟକାଇ ତଲାସୀ କରିବାରୁ ୩୪ ପିସ୍ ଶାଳ ଚଉକାଠ ମିଳିଥିଲା। ଲୋକ ଭିଡ଼ ଥିବାର ସୁଯୋଗ ନେଇ ପିକଅପ୍ର ଡ୍ରାଇଭର ଦୌଡ଼ି ପଳାଇ ଯାଇଥିଲା।

ଘଟଣାସ୍ଥଳରୁ ବନବିଭାଗ OD09AB-4761 ନମ୍ବର ବିଶିଷ୍ଟ ଗାଡ଼ିଟିକୁ ଜବତ କରି ଠାକୁରମୁଣ୍ଡା ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ତଦନ୍ତ ଜାରି ରଖିଛନ୍ତି। ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଠାକୁରମୁଣ୍ଡା ଫରେଷ୍ଟର ବିଦ୍ୟାଧର ମହାନ୍ତ, ପ୍ରଦୀପ କିଶୋର ହାଇବ୍ରୁ, ଚନ୍ଦ୍ରଭାନୁ ମହାନ୍ତ, ବନରକ୍ଷୀ ବିକାଶ ମହାନ୍ତ, ଗାୟତ୍ରୀ ମହାନ୍ତ ଏବଂ ସମସ୍ତ କର୍ମଚାରୀ ସାମିଲ ଥିଲେ।
୩୪ ପିସ୍ ଶାଳ ଚଉକାଠର ଆନୁମାନିକ ମୂଲ୍ୟ ପାଖାପାଖି ୧ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ସୂଚନା ଦେଇଛି। ଏହି ଘଟଣା ସମ୍ପର୍କରେ ଠାକୁରମୁଣ୍ଡା ବନାଞ୍ଚଳ କେସ୍ ନମ୍ବର ୧/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ସାଧନା ମିଡ଼ିଆ | ଠାକୁରମୁଣ୍ଡା |
କରଞ୍ଜିଆରୁ ଜିଲ୍ଲା ପ୍ରତିନିଧି ଆଶିଷ କୁମାର ବେହୁରାଙ୍କ ରିପୋର୍ଟ
