କାର୍ତ୍ତିକକୁ କାହିଁକି କୁହାଯାଏ ଧର୍ମମାସ, ବ୍ରତ ପାଳନରେ କି ଲାଭ ହୁଏ |
ବର୍ଷକ ମଧ୍ୟରେ କାର୍ତ୍ତିକକୁ ଶ୍ରେଷ୍ଠ ମାସ ଭାବେ ବିବେଚନା କରାଯାଏ। କୁମାର ପୂର୍ଣ୍ଣିମା ପରଦିନ ଠାରୁ ଆରମ୍ଭ ହୁଏ ଧର୍ମ ମାସ କାର୍ତ୍ତିକ। ଏହି ମାସରେ ଲୋକମାନେ ନିଷ୍ଠାର ସହ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି। ସାରା ମାସ ଆମିଷ ବର୍ଜନ କରି ଶୁଦ୍ଧ ଶାକାହାରୀ ଖାଦ୍ୟକୁ ଆପଣାଇଥାନ୍ତି।
ପ୍ରାତଃରୁ ଉଠି ମହିଳାମାନେ ମହୋଦଧି ଓ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ତୁଳସୀ ମୂଳରେ ରାଇଦାମୋଦର ପୂଜା କରିଥାନ୍ତି। କାର୍ତ୍ତିକ ମାସର ମାହାତ୍ମ୍ୟ ବ୍ୟାସଦେବ ବିରଚିତ ପଦ୍ମପୁରାଣରେ ବର୍ଣ୍ଣିତ ହୋଇଛି। କାର୍ତ୍ତିକରେ ତୁଳସୀ ପୂଜାର ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ। ତୁଳସୀ ଚଉରା ମୂଳରେ ପଞ୍ଚବର୍ଣ୍ଣ ମୁରୁଜ ପକାଇ ଧୂପ, ଦୀପ, ଅକ୍ଷତ ପ୍ରଦାନ ସ୍ୱରୂପ ହିବଷ୍ୟାଳିମାନେ କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି। ଏ ଅବସରରେ ସୂର୍ଯ୍ୟ ପୂଜା ମଧ୍ୟ କରାଯାଏ। ଏହି ମାସରେ କାର୍ତ୍ତିକ ମାହାତ୍ମ୍ୟ ପଠନ କଲେ ସମସ୍ତ ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ସ୍ୱୟଂ ଭଗବାନ ବିଷ୍ଣୁ, ବ୍ରହ୍ମାଙ୍କୁ କାର୍ତ୍ତିକର ମାହାତ୍ମ୍ୟ ବର୍ଣ୍ଣନା କରିଥିବା ପୁରାଣରେ ଉଲ୍ଲେଖ ରହିଛି।
ଏହା ସଂପୂର୍ଣ୍ଣ ଆମିଷ ବର୍ଜନର ମାସ। ମାସ ତମାମ୍ ହବିଷ ଭୋଜନ ଓ ଶ୍ରୀଦାମୋଦରଙ୍କ ପୂଜାର୍ଚ୍ଚନାର ବିଧି ପ୍ରଚଳିତ। ସକଳ କାମନା ବାସନା ପରିତ୍ୟାଗ ପୂର୍ବକ ବ୍ରହ୍ମଚର୍ଯ୍ୟ ପାଳନର ବିଧି ଏହି ମାସରେ ଅନୁସୃତ। ଶ୍ରଦ୍ଧାର ସହିତ ତପ, ପୂଜା ପାଠ ଓ ଉପବାସ ପାଳନ ଦ୍ୱାରା ଐଶ୍ୱର୍ଯ୍ୟ ବୃଦ୍ଧି ହୁଏ ଓ ଜୀବ ମୋକ୍ଷ ଲାଭ କରେ। କାର୍ତ୍ତିକରେ ବ୍ରାହ୍ମ ମୁହୂର୍ତ୍ତର ସ୍ନାନ ଏକ ହଜାର ଥର ଗଙ୍ଗା ସ୍ନାନ ସହିତ ସମାନ। ଶିବ ମନ୍ଦିର, ମାତା ଚଣ୍ଡୀ ଓ ସୂର୍ଯ୍ୟ ଦେବତାଙ୍କୁ ଦୀପ ଦାନ କଲେ ଅଶେଷ ପୁଣ୍ୟ ଲାଭ ହୁଏ।
ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ ମହାପ୍ରଭୁ ରତ୍ନସିଂହାସନ ଉପରେ ରାଧା ଦାମୋଦର ବେଶରେ ଦର୍ଶନ ଦେଇଥାନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ହବିଷ୍ୟାଳିମାନେ ବ୍ରତ ଧାରଣ କରି ନିଷ୍ଠାର ସହ ପାଳନ କରିଥାନ୍ତି। ପୂର୍ଣ୍ଣିମାରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇ ଡଙ୍ଗା ଭସାଇ ବ୍ରତ ଶେଷ କରାଯାଏ।
https://youtu.be/ieampB6juH0
