ଉନ୍ନତିକରଣ ହେବ ଆଖଣ୍ଡଳମଣି ମନ୍ଦିର
ଭଦ୍ରକ ଜିଲ୍ଲାର ଆରଡ଼ିସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବାବା ଆଖଣ୍ଡଳମଣି ମନ୍ଦିରର ଉନ୍ନତିକରଣ ପାଇଁ ଓଡ଼ିଶା ରାଜ୍ୟ ସରକାର ୧୦ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି। ଏହି ଘୋଷଣା ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ୱାରା କରାଯାଇଛି।

ସକାଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉଚ୍ଚ ଶିକ୍ଷା, କ୍ରୀଡ଼ା, ସଂସ୍କୃତି ଓ ଓଡ଼ିଆ ଭାଷାସାହିତ୍ୟ ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବାବା ଆଖଣ୍ଡଳମଣିଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଥିଲେ। ଏହାପରେ ମନ୍ଦିର ଓ ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟି ଟଙ୍କାର ଅନୁଦାନ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଘୋଷଣା ପାଇଁ ଉପମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଆରଡ଼ିର ବାବା ଆଖଣ୍ଡଳମଣି ପୀଠର ଆବଶ୍ୟକ ଉନ୍ନତିକରଣ କାର୍ଯ୍ୟରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।
